ବର୍ଷ ଶେଷ ବେଳକୁ ଆମେରିକା ପାଖରେ ଥିବ କୋରୋନା ଭ୍ୟାକସିନ: ଟ୍ରମ୍ପ

ୱାଶିଂଟନ,ଏଜେନ୍ସି: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭ୍ୟାକସିନ ଖୋଜିବାରେ ଲାଗିଛି ପଡିଛି। ଆମେରିକା ମଧ୍ୟ ଭ୍ୟାକସିନ୍‌ ବାହାର କରିବାରେ ଶତ ଚେଷ୍ଟା ଲଗାଇଦେଇଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ୨୦୨୦ ଶେଷ ବେଳକୁ ଆମେରିକା ପାଖରେ କୋରୋନା ଭାଇରସକୁ ମାତ ଦେବାକୁ ଭ୍ୟାକସିନ ମହଜୁଦ ଥିବ ବୋଲି ସେ ଘୋଷଣା କରିଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, “ବର୍ଷ ଶେଷ ବେଳକୁ କରୋନାର ମୁକାବିଲା କରିବା ପାଇଁ ଆମ ପାଖରେ ଭ୍ୟାକସିନ ମହଜୁଦ ଥିବ ବୋଲି ମୋର ଯଥେଷ୍ଟ ବିଶ୍ୱାସ ରହିଛି। ଆମର ବୈଜ୍ଞାନିକ ଓ ଗବେଷକମାନେ ଏହା ଉପରେ କାମ କରୁଛନ୍ତି। ମୋର ସେମାନଙ୍କର ଉପରେ ବିଶ୍ୱାସ ରହିଛି।

ଏବେ କରୋନା ଭ୍ୟାକସିନର ପରୀକ୍ଷା କିଛି ଲୋକଙ୍କ ଉପରେ କରାଯାଉଛି। ଏହା ସଫଳ ହେବ ବୋଲି ମୋର ଆଶା। ଯଦି ଏହି ସମୟ ସୀମା ମଧ୍ୟରେ ଆଉ କୌଣସି ଦେଶ କରୋନା ଭ୍ୟାକସିନ ବାହାର କରିଦେବ, ତା’ହେଲେ ମୁଁ ବହୁତ ଖୁସି ହେବି।ଟ୍ରମ୍ପ ଆହୁରି କହିଛନ୍ତି, ମୋର ଆଶା ସେପ୍ଟେମ୍ବର ମାସରୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲି ପାରିବ। ଏବେ ସମସ୍ତଙ୍କୁ ମୁଁ ଘରକୁ ଫେରିଯିବାକୁ ନିବେଦନ କରୁଛି। ଖୁବଶୀଘ୍ର ସବୁ କିଛି ଠିକ ହୋଇଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।