ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିମାନସେବା ଓ ଯୋଗାଯୋକୁ ଅଧିକ ବିକଶିତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଖୁବଶୀଘ୍ର ଏନେଇ ବୈଠକ କରିବ। ରାଜ୍ୟରେ ବିମାନ ଚଳାଚଳକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖିବା ପରେ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛି।
ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ବିମାନସେବାକୁ ଅଧିକ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ବିଭିନ୍ନ ବେସାମରିକ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଅଧିକ ବିକଶିତ କରିବା ସହ ଜୟପୁର ଓ ରାଉରକେଲା ଠାରେ ଦୁଇଟି ଏୟାର ଷ୍ଟ୍ରିପ୍ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ଯେଗତ କିଛି ବର୍ଷ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସତ୍ୱେ ଓଡ଼ିଶାକୁ ପ୍ରାଥମିକତା ମିଳୁନାହିଁ। ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଦେଶ ଭିତରେ ବିମାନ ଚଳାଚଳରେ ଉନ୍ନତି ଆସିଛି। ଏଠାରେ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବ୍ୟାପକ ସୁଯୋଗ ରହିଥିଲେ ମଧ୍ୟ ବିମାନ ଉଡୁନାହିଁ। ଫଳରେ ଓଡ଼ିଶାବାସୀଙ୍କୁ ଦିଲ୍ଲୀ ଓ କୋଲକତା ଉପରେ ନିର୍ଭର କରିବାକୁ ପଡୁଛି।
ଓଡ଼ିଶାର ଲୋକ ଆମୋରିକା, ୟୁରୋପ ଓ ମଧ୍ୟ ପୂର୍ବ ଦେଶରେ ରହୁଛନ୍ତି। ସ୍କିଲ ଓଡ଼ିଶା ମାଧ୍ୟମରେ ସୃଷ୍ଟି ହୋଇଥିବା ବହୁ କୁଶଳୀ କାରୀଗର ବିଭିନ୍ନ ଦେଶରେ ରହୁଛନ୍ତି। ତେଣୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଏହି ସବୁ ଦେଶକୁ ବିମାନ ଚଳାଚଳ ହେଲେ ଲୋକମାନେ ଉପକୃତ ହେବା ସହ କମ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏପରିକି କେନ୍ଦ୍ର୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂହ ତାଙ୍କ ବିଭାଗୀୟ ଅଧିକାରୀଙ୍କ ସହ ଓଡ଼ିଶା ଆସି ବିମାନ ଚଳାଚଳ ଦିଗରେ ଓଡ଼ିଶାର ଭିତ୍ତିଭୁମିକୁ ତର୍ଜମା କରନ୍ତୁ ବାଲି ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରାଧ କରିଥିଲେ।