ବାଲେଶ୍ୱରରୁ ପୁଣି ୫ କୋରୋନା ଆକ୍ରାନ୍ତ ଚିହ୍ନଟ, ରୋଗୀ ସଂଖ୍ୟା ୧୦୮କୁ ବୃଦ୍ଧି

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୫ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ହୋଇଛି। ଏହି ୫ ଜଣ ବାଲେଶ୍ଵରରୁ ହୋଇଥିବା ଜଣା ପଡ଼ିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, ବାଲେଶ୍ଵରରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ବାଲେଶ୍ଵରରେ ପୁଣି ୫ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପଲଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୭ ସାମ୍ପୁଲ ପରୀକ୍ଷା ହୋଇଛି। ଏଯାବତ୍ ମୋଟ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ମଧ୍ୟରୁ ୧୦୮ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏଯାଏଁ ୩୫ ଜଣ ସୁସ୍ଥ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଥିବା ବେଳେ ୭୨ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।