ଭୁବନେଶ୍ବର,ଏନ୍ଏନ୍ଏସ୍: ଗତକାଲି କରୋନା ଭାଇରସରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରପଡ଼ା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨ ଜଣ ବିସ୍ରା ଅଞ୍ଚଳର ଅଛନ୍ତି। ସେମାନଙ୍କ ବୟସ କେତେ, ଟ୍ରାଭେଲ ହିଷ୍ଟ୍ରି ଏବଂ କାହା ସଂସ୍ପର୍ଶରେ ଆସିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।
ଅନ୍ୟପଟେ କେନ୍ଦ୍ରାପଡାର ରାଜନଗର ଅଂଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳକୁ ବର୍ତ୍ତମାନ ସିଲ୍ କରିଦିଆଯାଇଛି। କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳା ଅଛନ୍ତି। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ଚିକିତ୍ସା ପାଇଁ ତାଙ୍କୁ ନିକଟରେ ଥିବା କୋଭିଡ-୧୯ ହସ୍ପିଟାଲକୁ ପଠେଇ ଦିଆଯାଇଛି। ସେହିପରି ତାଙ୍କ ପରିବାର ବର୍ଗଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠେଇ ଦିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। କେନ୍ଦ୍ରାପଡାରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ଦୁଇରେ ପହଞ୍ଚିଛି।
ତେବେ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
ଗତକାଲି ରାତିରେ ରାଜ୍ୟରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସେମାନଙ୍କର ସବିଶେଷ ତଥ୍ୟ ସରକାରଙ୍କ ପକ୍ଷରୁ କିଛି ଦିଆଯାଇନଥିଲା।
କହି ରଖୁଛୁ ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସରେ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।