ହିରୋ ହାତୀ ହତ୍ୟା ଘଟଣାରେ ୪ ଗିରଫ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ଼ ଜଙ୍ଗଲରେ ଗତ ୧୪ ତାରିଖରେ ମିଳିଥିବା ଗଳିତ ମୃତଦେହ ରହସ୍ୟ ଉପରୁ ଜିଲ୍ଲା ପୁଲିସ ପରଦା ଉଠାଇଛି । ମେଣ୍ଡା ଗାଁର ଯୁବକ ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବାବେଳେ ୧୪ ତାରିଖ ଦିନ ବାରପାହାଡ଼ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହଟି ପଚିସଢ଼ି ଯାଇଥିବାବେଳେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ପୁଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଥିଲା ।

ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ହତ୍ୟାକାଣ୍ଡ ଥିଲା ବୋଲି ସୂଚନା ଦେଇଛନ୍ତି । ଗତ ୧୧ ତାରିଖ ରାତିରେ ହିରୋ ହାତୀ ବାରପାହାଡ଼ ଜଙ୍ଗଲରେ ଇଟା ଗଢୁଥିବା ମକରଧ୍ୱଜ ମଲ୍ଲିକଙ୍କ କୁଡ଼ିଆ ଘରକୁ ପଶିଥିଲେ । ମକରଧ୍ୱଜ ତାଙ୍କୁ ଚାଲିଯିବାକୁ କହିଥିଲେ ମଧ୍ୟ ହିରୋ ସେଠାରୁ ନ ଯିବାରୁ ମକରଧ୍ୱଜଙ୍କ ସାଙ୍ଗରେ ଥିବା ଅନନ୍ତ ରଣା ଓ ସଚ୍ଚିଦାନନ୍ଦ ମଲ୍ଲିକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ହିରୋଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ୩ଜଣ ତାଙ୍କ ପାଖରେ ଥିବା ସୁଧିର ବକୁଲଙ୍କୁ ଧରି ମୃତଦେହକୁ ନେଇ ୬ଶହ ମିଟର ଦୂର ଜଙ୍ଗଲରେ ଫୋପାଡ଼ି ଦେଇଥିଲେ । ପରେ ପୁଲିସ ଏହି ଘଟଣାର ଅନୁସନ୍ଧାନ କରି ହତ୍ୟା କରିଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ତେବେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ ଟିମର ସହାୟତାରେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଉପଖଣ୍ଡ ପୁଲିସ ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ଓ ଡୁଙ୍ଗୁରିପାଲି ଥାନାଧିକାରୀ ଭାନୁଶଙ୍କର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।