ମହାରାଷ୍ଟ୍ରରେ ମନ୍ତ୍ରୀ ପଦର ଶପଥ ନେଲେ ୩୬ ବିଧାୟକ, ଅଜିତ ପାୱାର ହେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣରେ ଏନସିପିର ବରିଷ୍ଠ ନେତା ଅଜିତ ପାୱାର ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସମେତ ଶିବସେନା, ଏନସିପି ଏବଂ କଂଗ୍ରେସର ୩୬ ଜଣ ନୂଆ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୀଆରୀ ଶପଥ ଗ୍ରହଣ କରାଇଛନ୍ତି।

ଏହି ସମାରୋହରେ ପ୍ରାୟ ୫ ହଜାର ଅତିଥି ଯୋଗଦେଇଥିଲେ। ଏନସିପିର ଦିଲ୍ଲୀପ ବଲସେ ପାଟିଲ, ଧନଞ୍ଜୟ ମୁଣ୍ଡେ, ହସନ ମୁଶ୍ରୀଫ, ଡ. ରାଜେନ୍ଦ୍ର ଶିଙ୍ଗଣେ, ନୱାବ ମଲ୍ଲିକ, ରାଜେଶ ଟୋପ୍ପୋ, ଜିତେନ୍ଦ୍ର ଅହ୍ୱାଡ ଏବଂ ଅନୀଲ ଦେଶମୁଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
କଂଗ୍ରେସର ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ବିଜୟ ବଡେଟ୍ଟିୱର, ସୁନୀଲ କେଦାର, ଅମିତ ଦେଶମୁଖ, ଯଶୋମତି ଠାକୁର, କେସି ପଡ଼ବୀ, ଅସମଲ ଶେଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶିବସେନାର ସଞ୍ଜୟ ରାଥୋଡ଼, ଗୁଲାବରାୱ ପାଟିଲ, ଦାଦା ଭୁସେ, ଅନୀଲ ପରବ, ଉଦୟ ସାମନ୍ତ, ଆଦିତ୍ୟ ଠାକରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି।