ହୀରାକୁଦର ନିଷିଦ୍ଧା ଅଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ଵର,ଏନ୍ଏନ୍ଏସ୍: ହୀରାକୁଦ ନିଷିଦ୍ଧା ଅଞ୍ଚଳରେ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରି ଖୁଲମଖୁଲା ନିୟମର ଉଲଂଘନ କରାଯାଇଥିବା ଦେଖାଯାଇଛି। ତେବେ ଓଲିଉଡର ଅଭିନେତ୍ରୀ ଏବଂ ଜଣେ ମନ୍ତ୍ରୀଙ୍କ ଝିଅ ଅନ୍ୟ ଜଣେ ଝିଅଙ୍କ ସହିତ ଏହି ନିୟମକୁ ଭାଙ୍ଗି ଥିବା ନଜର ଆସିଛି। ଏ ଭିଡିଓକୁ ନେଇ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏ ନେଇ ସେମାନଙ୍କର ରାୟ ମିଳିପାରିନଥିବା ବେଳେ ଏହି ଘଟଣାରେ ସମ୍ବଲପୁର ଏସପି ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି। କେବେ ଏହି ଭିଡିଓ ଏବଂ ଫଟୋ ଉଠାଯାଇଛି ତାହା ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଭିଡିଓରେ ଓଲିଉଡ୍‌ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିବାବେଳେ ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ବିଭାଗ ଦାୟିତ୍ଵରେ ଥିବା ଜଣେ ମନ୍ତ୍ରୀଙ୍କ ଝିଅ ରହିଛନ୍ତି। ଯେଉଁ ଅଞ୍ଚଳରେ ଭିଡିଓଟି ଶୁଟ୍‌ କରାଯାଇଛି, ସେହି ଅଞ୍ଚଳଟି ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳ। ସେହି ଅଞ୍ଚଳରେ ପ୍ରବେଶ ପାଇଁ ଅନୁମତି ନ ଥିବାବେଳେ ଏମାନଙ୍କୁ କିଏ ଅନୁମତି ଦେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।