ପୁରୀ,ଏନ୍ଏନ୍ଏସ୍: ଧନୁ ସଂକ୍ରାନ୍ତି ଉପଲକ୍ଷେ ସୋମବାର ଦିନ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ଲାଗୁ କରାଯାଇଛି। ଭୋର ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ନୀତି ହୋଇଛି। ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ଆଜି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲିଥାଏ। ଏହାସହ ଧନୁ ସଂକ୍ରାନ୍ତି ଦିନ ସମସ୍ତ ଦେବାଦେବୀଙ୍କ ନିକଟରେ ମୁଆଁ ଭୋଗ ଲାଗୁ କରିଥାନ୍ତି।
ପୌରାଣିକ କଥା ଅନୁଯାୟୀ, ପୌସ ମାସରେ ମା’ମହାଲକ୍ଷ୍ମୀ ତାଙ୍କ ବାପଘରକୁ ଯାଇଥାଆନ୍ତି। ତେଣୁ ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତାଙ୍କ ମା’ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାଆନ୍ତି। ଏହି ଭୋଗରେ କାକରା, ଆରିସା, ଜିଲାପି, ଗଇଁଠା ଆଦି ବହୁ ପ୍ରକାରର ପିଠା ଭୋଗ କରାଯାଏ। ପୌଷ ମାସରେ ଧାନ ଅମଳ ପରେ ଉଖୁଡ଼ାର ମୁଆଁର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ତେଣୁ ଏହି ସଂକ୍ରାନ୍ତି ଦିନ ମୁଖ୍ୟତଃ ଠାକୁରଙ୍କ ପାଖରେ ମୁଆଁ ଭୋଗ କରାଯାଇଥାଏ। ଏହି କାରଣରୁ ଆଜି ସମସ୍ତ ମନ୍ଦିର ଓ ବିଶେଷ କରି ସଂକ୍ରାନ୍ତି ଅବସରରେ ଶୈବ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି।