ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ ପରେ ରାଜ୍ୟରେ ବ୍ୟାପକ ନମୁନା ଟେଷ୍ଟ ପାଇଁ ଆଜି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟରେ ୫୦୦୦ କରୋନା ଟେଷ୍ଟ କରାଯିବା ପାଇଁ ଗତକାଲି ଶ୍ରୀ ତ୍ରିପାଠୀ ଘୋଷଣା କରିଥିବା ବେଳେ ଏ ନେଇ ବିଏମସି ତତ୍ପରତା ଦେଖାଇଛି। ଏ ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ ରହିଛନ୍ତି।
ଏହି ୧୩ଟି ଟିମ୍ ୨ଟି ସିଫ୍ଟରେ ସାମ୍ପଲ କଲେକ୍ଟ କରିବେ। ପ୍ରଥମ ସିଫ୍ଟ ସକାଳ ୮ଟାରୁ ଦିନ ୧୧ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନମୁନା ସଂଗ୍ରହ ହେବ। ତେବେ କରୋନା ପାଇଁ ଭୁବନେଶ୍ୱରକୁ ହଟସ୍ପଟ ଘୋଷଣା କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।