ନୂଆଦିଲ୍ଲୀ,ଏଜେନ୍ସି: ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ଦେଶଦ୍ରୋହ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ କିଷନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ଅବସରରେ ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ବିରୋଧରେ ଅବଦୁଲ୍ଲା ଦେଇଥିବା ମନ୍ତବ୍ୟ ବିରୋଧରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଅବଦୁଲ୍ଲା ଦେଶ ବିରୋଧରେ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଉ ବୋଲି ଏହି ପିଟସନରେ ଆବେଦନ କରାଯାଇଥିଲା। ଯଦି ତାଙ୍କ ସଦସ୍ୟତା କାଏମ ରହେ ତେବେ ଭାରତରେ ଦେଶ ବିରୋଧୀ ଗତିବିଧିକୁ ଅନୁମତି ଦିଆଯିବା ତଥା ଦେଶର ଏକତାକୁ ବିରୋଧ କରିବା ଭଳି ହେବ ବୋଲି କୁହାଯାଇଥିଲା। କୋର୍ଟ ଅବଦୁଲ୍ଲାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ସହ ଆବେଦକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରଜତ ଶର୍ମା ଓ ନେହା ଶ୍ରୀବାସ୍ତବ ଫାରୁକଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିିଲେ। ୩୭୦ ଧାରା ଉଚ୍ଛେଦ ବିରୋଧରେ ଫାରୁକ ଚୀନ ଓ ପାକିସ୍ତାନକୁ ସହଯୋଗ ମାଗୁଛନ୍ତି ବୋଲି ଦୁଇ ଆବେଦନକାରୀ ଅଭିଯୋଗ କରିଥିଲେ। ଏପରିକି ଚୀନ ସହାୟତାରେ କଶ୍ମୀରରେ ପୁନର୍ବାର ୩୭୦ ଧାରା ଲାଗୁ କରାଯିବ ବୋଲି ଫାରୁକ ଏକ ଟିଭି ଚାନେଲ ମାଧ୍ୟମରେ କହିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ ଏହାକୁ ଖଣ୍ଡନ କରିଥିିଲା।