ନୂଆଦିଲ୍ଲୀ,ଏଜେନ୍ସି : ରୋହିଙ୍ଗ୍ୟା ମୁସଲିମ୍ ଓ ତବଲିଗି ଜମାତ୍ ଲିଙ୍କ ପ୍ରଘଟ ହେବାପରେ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ରୋହିଙ୍ଗ୍ୟା ରହୁଥିବା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜମ୍ମୁର ଭଟିଣ୍ଡି ଓ ସୁଞ୍ଜୱାନ ଅଞ୍ଚଳକୁ ଇତିମଧ୍ୟରେ କରୋନାର ହଟ୍ସ୍ପଟ୍ ରୂପେ ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ ସେହି ଅଞ୍ଚଳକୁ ସିଲ୍ କରି ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରିଛନ୍ତି। ଜମ୍ମୁ ପୁଲିସ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ସେହି ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କିଛିଦିନ ତଳେ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳର ଏକ ମସଜିଦ୍ରୁ ୧୦ ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇଜଣ ହାଇଦ୍ରାବାଦର ବୋଲି ଜଣାପଡ଼ିବା ପରେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଏହି ଦୁଇଜଣ ଭଟିଣ୍ଡିରେ ଲୁଚିଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ଥାନ ପରିବର୍ତ୍ତନ କରିଥିଲେ। ସେମାନଙ୍କଠାରୁ ସୂଚନା ପାଇ ପୁଲିସ ଭଟିଣ୍ଡାସ୍ଥିତ ଫିର୍ଦୋସାବାଦ ମସଜିଦରୁ ଜମାତ୍ ସହ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଗୋଇନ୍ଦା ରିପୋର୍ଟ ଅନୁଯାୟୀ ଦେଶର ବିଭିନ୍ନ ଶରଣାର୍ଥୀ ଶିବିରରେ ରୋହିଙ୍ଗ୍ୟାମାନେ ଆଶ୍ରୟ ନେଇଛନ୍ତି। ସେମାନେ ନିଜାମ୍ମୁଦ୍ଦିନ୍ ମର୍କଜରେ ଆୟୋଜିତ ଧର୍ମସଭାରେ ଯୋଗ ଦେଇ ପରେ ଜମ୍ମୁ ଫେରି ଯାଇଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ଭାଗରେ ୪୦ ହଜାରରୁ ଅଧିକ ରୋହିଙ୍ଗ୍ୟା ରହୁଥିଲା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୭ ହଜାର ନାମ ପଞ୍ଜୀକୃତ କରିଛନ୍ତି ବୋଲି ଜାତିସଂଘ ମାନବାଧିକାର ସଂଗଠନ ସୂତ୍ରରୁ ଜଣାପଡ଼ିଛି। ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ଅଞ୍ଚଳରେ ରହୁଥିବା ରୋହିଙ୍ଗ୍ୟାଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ବିଶେଷ କରି ତବଲିଗି ଜମାତରେ ଯେଉଁମାନେ ଯୋଗ ଦେଇଥିଲେ, ତା’ର ବିବରଣୀ ପ୍ରଦାନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।