ରାଜ୍ୟରେ ପୁଣି ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୪ ହଜାରକୁ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟସଂଖ୍ୟା ୪,୦୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୪୬ଜଣଙ୍କ ମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୪୮, ଭଦ୍ରକ ଓ କଟକରୁ ୧୯ ଲେଖାଏଁ, ଗଞ୍ଜାମ ଓ ବାଲେଶ୍ୱରରୁ ୮ ଲେଖାଏଁ, ଖୋର୍ଦ୍ଧାରୁ ୭, ଅନୁଗୁଳରୁ ୬, ରାୟଗଡ଼ାରୁ ୫, ନୟାଗଡ଼, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୪ ଲେଖାଏଁ, ସୋନପୁରରୁ ୨, ଝାରସୁଗୁଡ଼ା, ସମ୍ବଲପୁର ଓ ଢ଼େଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏତଦବ୍ୟତୀତ ୯ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୧୨୮ ଜଣ ରହିଥିବାବେଳେ ୧୮ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨ହଜାର ୫୧୩ଟି ନମୁନା ପରୀକ୍ଷା ହୋଇଥିବାବେଳେ ୪,୦୫୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨,୭୦୮ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୧୩୩୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।