ଭୁବନେଶ୍ୱର, ଏନ୍ଏନ୍ଏସ୍: ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। କିନ୍ତୁ କୋଭିଡ-୧୯ର ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରି କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
କରୋନା ଯୋଗୁ ରଥଯାତ୍ରା ହେବ କି ନାହିଁ ଯେଉଁ ଆଶଙ୍କା ରହିଥିଲା ତାହା ଦୂର ହୋଇଛି। ଏଥର ବିନା ଭକ୍ତରେ ଶ୍ରୀ ମନ୍ଦିର ପରିଚାଳନା କମିଟି, ରାଜ୍ୟ ଓ କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଜନସ୍ୱାସ୍ଥ୍ୟକୁ ନେଇ ଆଦୌ ସାଲିସ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏଥିରେ କେବଳ ସଂପୃକ୍ତ ସେବାୟତମାନେ ନିୟୋଜିତ ହେବେ ଓ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଅନ୍ୟପଟେ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। କରୋନା ମୁକାବିଲା ସହିତ ରଥଯାତ୍ରା ପାଳନ କରିବା ପାଇଁ ପୁରୀର ଭକ୍ତ ନିବାସରେ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ପୁଲିସ ଡିଜି, ଆଇନ ମନ୍ତ୍ରୀ, ଏଡିଜି କ୍ରାଇମବ୍ରାଞ୍ଚ ଓ କେନ୍ଦ୍ରାଂଚଳ ଡିଆଇଜି ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏଥିସହିତ ଭିଡିଓ କନଫ୍ରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।