ପୁନାୱାଲାଙ୍କୁ ‘ୱାଇ’ ସୁରକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲାଙ୍କୁ ‘ୱାଇ’ ସୁରକ୍ଷା ଯୋଗାଇ ଦିଆଯିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଆରପିଏଫ୍ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। କୋଭିଡ୍ ଟିକା ଯୋଗାଣ ସହ ସମ୍ପୃକ୍ତ କେତେକ ଗ୍ରୁପ ତାଙ୍କୁ ଧମକ ଦେବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜନୈକ ଅଧିକାରୀ ପ୍ରକାଶ କୁମାର ସିଂହ ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଗତ ୧୬ତାରିଖରେ ପତ୍ରଲେଖି ପୁନାୱାଲାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏହି ପତ୍ରରେ ସିଂହ ଉଲ୍ଲେଖ କରିଥିଲେ ଯେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା କରୋନା ଲଢ଼େଇରେ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଚାଲିଛୁ। କିନ୍ତୁ ଆମମାନଙ୍କ ଜୀବନ ପ୍ରତି ଏବେ ବିପଦ ଦେଖାଦେଇଥିବାରୁ ସୁରକ୍ଷା ଜରୁରୀ ହୋଇପଡ଼ିଛି।