ଦେଓଗାଁ ବ୍ଲକ ସରପଞ୍ଚ ସଂଘ ଗଠିତ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକର ନବନିର୍ବାଚିତ ସରପଞ୍ଚଙ୍କୁ ନେଇ ବନ୍ଧପଡ଼ା ଆମ୍ବ ବଗିଚାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ ଓ ୧୨ ନମ୍ବର ଜୋନ ସଦସ୍ୟ ମମତା କୁମୁରା ଅତିଥିଭାବେ ଯୋଗ ଦେଇଥିଲେ । ନବନିର୍ବାଚିତ ସରପଞ୍ଚମାନେ କିଭଳି ଲୋକଙ୍କ ନିକଟର ପହଞ୍ଚି ସେବା କରିବା ସହ ଏକ ଆଦର୍ଶ ପଞ୍ଚାୟତ ଗଠନ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ସରପଞ୍ଚଙ୍କୁ କହିଥିଲେ । ପୂର୍ବ ସରପଞ୍ଚଙ୍କୁ ଉପଢ଼ୌକନ ଦେଇ ବିଦାୟ ଦେଇଥିବାବେଳେ ନୂତନ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୈଠକରେ ଯୋଗ ଦେଇଥିବା ୧୬ଜଣ ସରପଞ୍ଚଙ୍କ ପ୍ରସ୍ତାବକ୍ରମେ ବନ୍ଧପଡ଼ା ସରପଞ୍ଚ ଗୋପାଳ ମିଶ୍ରଙ୍କୁ ସଭାପତି, ଦେଓଗାଁ ସରପଞ୍ଚ ନିନା ଛତ୍ରୀଆ ଉପସଭାପତି, ବଡ଼ବାହାଲ ସରପଞ୍ଚ ଜୋସ୍ନାମୟୀ ରଣା ସମ୍ପାଦକ ଓ ହାତୀସରା ସରପଞ୍ଚ କେଲୋ ଡାଙ୍ଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟପଟେ ସରପଞ୍ଚ ସଂଘ ଗଠନରେ ଅନୁପସ୍ଥିତ ଥିବା ସରପଞ୍ଚମାନେ ଅସନ୍ତୋଷ ପ୍ରକାଶ କରି ମନମୁଖୀ ସଂଘ ଗଠନ ହୋଇଛି ବୋଲି କହୁଥିବାରୁ ଆଗମୀ ଦିନରେ ସରପଞ୍ଚ ସଂଘର କାର୍ଯ୍ୟକୁ ନେଇ ସନ୍ଦେହ ଦେଖାଦେଇଛି ।