ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରମ ମନ୍ତ୍ରଣାଳୟର ୨୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଳ ସମ୍ପଦ ଓ ଶକ୍ତି ମନ୍ତ୍ରଣାଳୟରୁ ମଧ୍ୟ ଜଣେ ଲେଖାଏଁ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ଶ୍ରମ ଶକ୍ତି ଭବନକୁ ଦୁଇ ଦିନ ପାଇଁ ବନ୍ଦ କରାଯିବା ସହ ସାନିଟାଇଜ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଉକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୧୭ ଜଣଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କୌଣସି ଲକ୍ଷଣ ଦେଖାଦେଲେ ନିଜେ ଟେଷ୍ଟ କରାଇ ଅଫିସକୁ ଜଣାଇବା ପାଇଁ ମଧ୍ୟ କୁହାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀରେ ଏଯାବତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୩ ହଜାର, ୩୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୨୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୨ ହଜାର ୧୩୭ଟି ନୂଆ ମାମଲା ସାମ୍ନାକୁ ଆସିବା ସହ ୭୧ ଜଣଙ୍କର ମୃତ୍ୟୁ ଘଟିଛି।