- କାବୁଲ: ଆଫଗାନିସ୍ତାନର ପଞ୍ଜଶିରରେ ଇଣ୍ଟରନେଟ୍ ସଟଡାଉନ୍ ହୋଇଛି। ତାଲିବାନୀମାନେ ଏହି ଇଣ୍ଟରନେଟ୍ ସଟଡାଉନ୍ କରିଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ପଞ୍ଜଶିରରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ଟ୍ୱିଟ୍ କରି ବାର୍ତ୍ତା ଦେଉଛନ୍ତି। ତେଣୁ ଏବେ ଅମରୁଲ୍ଲାଙ୍କୁ ରୋକିବା ପାଇଁ ତାଲିବାନୀ ଇଣ୍ଟରନେଟ୍ ସଟଡାଉନ୍ କରିଛନ୍ତି ବୋଲି ସୂଚନା ରହିଛି।
- ଆଫଗାନିସ୍ତାନର ସମସ୍ତ ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି କିନ୍ତୁ ଏହି ପଞ୍ଜଶିରକୁ ତାଲିବାନୀ କବଜା କରିପାରିନାହାନ୍ତି। ତାଲିବାନୀମାନେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଭେଟିବାକୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେ ଆତ୍ମସମର୍ପଣ କରିନଥିଲେ।
- ନିକଟରେ ତାଲିବାନୀମାନେ ପଞ୍ଜଶିରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅଣ୍ଟା ଭିଡିଥିବା କହିଥିଲେ। ସେମାନେ ପଞ୍ଜଶିରରେ ପ୍ରବେଶ କରିସାରିଛନ୍ତି ବୋଲି ମଧ୍ୟ କହିଥିଲେ। ତେଣୁ ଏବେ ତାଲିବାନୀ ଇଣ୍ଟରନେଟ ସଟଡାଉନ କରି ପଞ୍ଜଶିରକୁ ଘେରିଯାଇଥିବା ସୂଚନା ରହିଛି। ଅନ୍ୟପଟେ ଅମରୁଲ୍ଲା ସଲେହ କହିଥିଲେ, ପଞ୍ଚଶିରରେ ପ୍ରବେଶ କରୁଥିବାବେଳେ ୩୦୦ରୁ ଅଧିକ ତାଲିବାନୀ ନିହତ ହୋଇଛନ୍ତି।
- ପଞ୍ଜଶିରରର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନକୁ କଡ଼ା ଜବାବ ଦେବେ ବୋଲି ଘୋଷଣା କରିସାରିଛନ୍ତି। ଅହମ୍ମଦ ମାସୁଦଙ୍କ ବାପା ଅହମ୍ମଦ ଶାହା ମାସୁଦ ମଧ୍ୟ ତାଲିବାନ ସହିତ ଲଢ଼େଇ କରୁଥିଲେ। ଆଫଗାନିସ୍ତାନରୁ ସୋଭିଏତ ୟୁନିୟନକୁ ତଡ଼ି ପାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ୨୦୦୧ରେ ତାଲିବାନ ଏବଂ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ଅହମ୍ମଦ ଶାହା ମାସୁଦଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ପଞ୍ଜଶିରର ନେତୃତ୍ୱ ନେଉଛନ୍ତି ଅହମ୍ମଦ ମାସୁଦ।