ଟ୍ରିପଲ ମର୍ଡର: ଗଙ୍ଗାନଗରରୁ ମା’ ଓ ୨ ଝିଅର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ଘରୁ ମା’ ଓ ୨ ଝିଅର ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ସୋନୀ ପଦାର(୩୦), ତାଙ୍କ ବଡ଼ ଝିଅ ରାଧିକା ପୋଦାର(୫) ଏବଂ ସାନ ଝିଅ ମୁସ୍କାନ ପୋଦାର(୩) ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣା ପରେ ସୋନୀଙ୍କ ସ୍ୱାମୀ ନାରାୟଣ ପୋଦାର(୩୫) ଫେରାର ଥିବାବେଳେ ଦିଅର କଳାକାହ୍ନୁ ପୋଦାର(୩୩)କୁ ପୁଲିସ ଅଟକ ରଖି ପଚାରାଉଚୁରା କରୁଛି। ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କେଶବ ଚନ୍ଦ୍ର ବେହେରା, ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ, ପୁଲିସ ଦଳ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳା ଏବଂ ତାଙ୍କ ୨ ଛୁଆଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ସୋନୀଙ୍କ ବେକରେ ନଖ ଚିହ୍ନ ଥିବାବେଳେ ସାନ ଝିଅ ମୁସ୍କାନଙ୍କ ମୁହଁରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡରେ ସୋନୀଙ୍କ ସ୍ୱାମୀ ଓ ଦିଅରକୁ ପୁଲିସ ସନ୍ଦେହ ଘେରରେ ରଖିଛି। ଅନ୍ୟପଟେ ମଦ୍ୟପାନ ପରେ ସୋନୀଙ୍କ ସହ ସ୍ୱାମୀ ମାରପିଟ କରୁଥିବା ତାଙ୍କ ମା’ ସଙ୍ଗୀତା ଗୌଡ଼ ପ୍ରକାଶ କରିଛନ୍ତି। ସେହିପରି ସୋନୀର ଦିଅର କଳାକାହ୍ନୁ କିଛିମାସ ପୂର୍ବେ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ ପ୍ରୟାସ କରିଥିବା ନେଇ ସୋନୀ ବ୍ରଜରାଜନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା।

ପ୍ରକାଶଯୋଗ୍ୟ ଯେ, ନାରାୟଣ ଛତିଶଗଡ଼ର ହୋଇଥିବାବେଳେ ବ୍ରଜରାଜନଗରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ସୋନୀ ଏବଂ ତାଙ୍କ ୨ ଛୁଆ ମଧ୍ୟ ନାରାୟଣଙ୍କ ସହ ରହୁଥିଲେ। ମଙ୍ଗଳବାର ରାତିରେ ସ୍ୱାମୀ ନାରାୟଣ, ସ୍ତ୍ରୀ ସୋନୀ ଓ ୨ଛୁଆ ମୁସ୍କାନ ଓ ରାଧିକା ଖାଇ ପିଇ ଘରେ ଶୋଇଥିଲେ। ତେବେ ଆଜି ଭୋରରୁ ନାରାୟଣ ଉଠି କୁଆଡ଼େ ଚାଲି ଯାଇଥିଲେ। ହେଲେ ବହୁ ବିଳମ୍ବ ଯାଏଁ ସୋନୀ ଏବଂ ତାଙ୍କ ଦୁଇ ଛୁଆ ଉଠି ନଥିବା ଦେଖି ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ସୋନୀଙ୍କ ସ୍ୱାମୀକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଖୁବଶୀଘ୍ର ନାରାୟଣକୁ ଧରି ନିଆଯିବା ପରେ ଏହି ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେବା ସହ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।