ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କଣ୍ଟାକ୍ଟ୍ଟ ଟ୍ରେସିଂ କରାଯାଇଥିଲା। ଏଥିରେ ଚିହ୍ନଟ ହୋଇଥିବା ଏନଆରଏଚଏମ କାର୍ଯ୍ୟାଳୟର ଡିପିଏମଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର କର୍ମଚାରୀ, କୋଭିଡ ହସ୍ପିଟାଲ କର୍ମଚାରୀ ଓ ପ୍ରଶାସନର କେତେକ ଅଧିକାରୀ ଉକ୍ତ ମହିଳା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା। ଫଳରେ ଗତକାଲି ୮୮ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜିଠାରୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ କଣ୍ଟ୍ରୋଲ ରୁମ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ହାତ ଗଣତି ୨-୩ ଜଣ କର୍ମଚାରୀ ଉପସ୍ଥିତ ଥିବାବେଳେ ଅନ୍ୟ ସମସ୍ତ କର୍ମଚାରୀ କ୍ୱାରେଣ୍ଟାନାଇନରେ ଥିବା ଜଣାପଡ଼ିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଅଫିସ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ନେଇ ସୂଚନା ଫଳକ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ମତାମତ ନେବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଅଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ ଜରୁରୀ କାର୍ଯ୍ୟ କରାଯାଉଥିବା ପ୍ରକାଶ କରିଛନ୍ତି।