ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁ ସମଗ୍ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଓଡ଼ିଶା ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ପ୍ରମୁଖ ଶିଳ୍ପସଂସ୍ଥା ଆର୍ସେଲର ମିତ୍ତଲ ଓଡ଼ିଶାରେ ଥିବା ନିଜ କାରଖାନାର କ୍ଷମତା ବଢ଼ାଇବା ପାଇଁ ୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏନେଇ ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡିଓ କନଫ୍ରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।
ଓଡ଼ିଶାରେ ଉତ୍ପାଦିତ ଖଣିଜ ଦ୍ରବ୍ୟର ମୂଲ୍ୟୟାନ ଏଠାରେ ହିଁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ରୋଜଗାରର ଅବସର ବଢ଼ିବା ସହ ରାଜ୍ୟରେ ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଏ ଦିଗରେ ଓଡ଼ିଶା ସରକାର ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟପଟେ କୋଭିଡ-୧୯ରେ ସମଗ୍ର ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବାବେଳେ ଶିଳ୍ପ ଜଗତକୁ ଓଡ଼ିଶା ସରକାର ପୁର୍ନଜୀବିତ କରିଥିବାକୁ ନେଇ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କର ଖୁବ୍ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦ୍ୱୀପ ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୬ ମେଟ୍ରିକ ଟନରୁ ୧୨ ମେଟ୍ରିକ ଟନକୁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଡାବୁନା ପ୍ଲାଣ୍ଟର କ୍ଷମତା ୫ ମେଟ୍ରିକ ଟନରୁ ୧୬ ମେଟ୍ରିକ ଟନକୁ ବୃଦ୍ଧି କରାଯିବାର ଯୋଜନା ମଧ୍ୟ ରହିଛି। ଏସବୁ ପ୍ରକଳ୍ପ ବାବଦରେ କମ୍ପାନୀ ଓଡ଼ିଶାରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗ କରିବ। ଫଳରେ କରୋନା ସମୟରେ ନୂଆ ଚାକିରି ସୃଷ୍ଟି ହେବାସହ ଆର୍ଥିକ ଅଭିବୃଦ୍ଧି ଘଟିବ।